ଶକୁନ୍ତଳା!
ପ୍ରାଣର ଆରାଧ୍ୟା ମୋର
ଜନ୍ମ-ଜନ୍ମାନ୍ତର
ଜୀବନ-ମୃତ୍ୟୁର
ତୋତେ ମୁଁ ଦେଖିଚି
ବାରମ୍ବାର-
ମାଟିର ସ୍ବର୍ଗରେ
ମୋ ଆଖିର-
ସ୍ବଚ୍ଛ ଦର୍ପଣରେ ।।
ତୁ ଆସିଛୁ ଥରଥର
ଭିନ୍ନ ଭିନ୍ନ ରୂପେ
ମନର-ଅଳିନ୍ଦେ ବସି
ତୁ ମୋତେ ଶୁଣାଇଅଛୁ
ଜୀବନର-
ଭିନ୍ନ ଏକ ସ୍ବର ।।
ତୁ ପରା କହିଚୁ ମୋତେ
ଆକାଶର-ଉପକଥା
ଜହ୍ନ ଆଉ ତାରାଙ୍କର
ଅସୁମାରୀ
ବ୍ୟଥାର କାହାଣୀ ।।
ତୁ ବି ଦେଇଛୁ ମୋତେ
ଯନ୍ତ୍ରଣାର-
ଉପଶମ ଲାଗି
ତୋ ସ୍ପର୍ଶର-
ବିଶଲ୍ୟ କରଣୀ
ଶକୁନ୍ତଳା!
ତୁ ମୋର
ବିଶ୍ବାସର-
ଅୟସ୍କାନ୍ତ ମଣି ।।
- * *
କୈଳାସ ଚନ୍ଦ୍ର ପାଢୀ।କୁମାରପୁର।ଭଦ୍ରକ.