ବିଶ୍ବରୂପ
ମୁଗ୍ଧ ମୂର୍ଚ୍ଛନାରେ ସିକ୍ତ ସ୍ନିଗ୍ଧ ହସ
ଢାଳେ ପ୍ରୀତି ଫଲ୍ଗୁଧାରା
ଦିବ୍ୟ ପ୍ରେମଜ୍ୟୋତି ସଦା ଝଲମଲ
ବିଶ୍ବ ଚେତନାରେ ଭରା ।।
ମୁକ୍ତିର ସ୍ଫୁଲିଙ୍ଗ ଝରେ ଝରଝର
ଦୀପ୍ତିମନ୍ତ ରୂପ ଆଭା
ଦିବ୍ୟ ଶ୍ରୀଅଙ୍ଗର ସୁବାସିତ ବାସ୍ନା
କମନୀୟ ମନଲୋଭା ।।
ମୋକ୍ଷର ସାଗର ତମ ଶ୍ରୀପୟର
ଶ୍ରୀକ୍ଷେତ୍ର ପୁଣ୍ୟର ତୀର୍ଥ
ତମ ଶ୍ରୀମନ୍ଦିର ସୃଷ୍ଟିରେ ବିରଳ
ବଡଦାଣ୍ଡ ଶାନ୍ତି ପଥ ।।
ରତ୍ନସିଂହାସନ ଜଗତ ବିଦିତ
ପୂର୍ଣ୍ଣତାର ପୂର୍ଣ୍ଣକୁମ୍ଭ
ସିଂହଦ୍ବାର ତମ ଚନ୍ଦନ ଚର୍ଚ୍ଚିତ
ଆଶିଷର କୀର୍ତ୍ତିସ୍ତମ୍ବ ।।
ବାଇଶ ପାହାଚ ନିଆରା ଚମକ
ନଭଶ୍ଚୁମ୍ବୀ ସିଦ୍ଧି ମାର୍ଗ
ଆଡପ ମଣ୍ଡପେ ଶୁଭେ ତୂର୍ଯ୍ୟନାଦ
ଧରା ପୃଷ୍ଠେ ମହାପର୍ବ ।।
ମହୋଦଧି ଢେଉ ଗାଏ ଜୈତ୍ର ଗୀତ
ଉଡେ ସତ୍ୟ ଧର୍ମ ନେତ
ବିଶ୍ବର ଠାକୁର ବିଶ୍ବରୂପ ତମ
ବିଶ୍ବାଶରେ ପ୍ରକଟିତ ।।
ବିନ୍ଦୁରେ ତମେ ,ଇନ୍ଦୁରେ ତମେ ପୁଣି
ସିନ୍ଧୁରେ ତ ବିରାଜିତ
ମାୟାରେ ତମେ ,ଛାୟାରେ ତମେ ପୁଣି
କାୟାରେ ତ ଉଦ୍ଭାସିତ ।।
କାଷ୍ଠ ପାଷାଣରେ ଦେଖେ ତମ ରୂପ
ଦେଖେ ପତ୍ର ପୁଷ୍ପ ଫଳେ
ଗଗନେ ପବନେ ତମ ବିଶ୍ଵରୂପ
ପୁଣି ସୃଷ୍ଟି ର ଆଦିମୂଳେ ।।
ନନ୍ଦିଘୋଷ ଶବ୍ଦ ପବିତ୍ର ନିନାଦ
ମର୍ତ୍ତ୍ୟେ ଅମର୍ତ୍ତ୍ୟ ସୁବାସ
ଘଣ୍ଟ ଘଣ୍ଟା ଧ୍ବନି ସ୍ତୋତ୍ରର ରାଗିଣୀ
ମୃତ୍ୟୁରେ ଅମୃତ ସ୍ପର୍ଶ ।।
ସୁପ୍ତ ବା ଜାଗ୍ରତେ ତମ ପ୍ରତିବମ୍ବ
ଭାସି ଆସେ ଭସା ମେଘେ
ନୟନ ପଲକେ ଲଭେ ମୁଁ ଶ୍ରୀସଙ୍ଗ
ଚନ୍ଦନ ଝରେ ନିଦାଘେ ।।
ଭୋଗ ଅଭୋଗର ପ୍ରାପ୍ତି ଅପ୍ରାପ୍ତିର
ତମେ ସର୍ବ ବିଚାରକ
ଦୃଶ୍ୟ ଅଦୃଶ୍ୟରେ ଛାଇ ଆଲୁଅରେ
ତମେ ପଥ ପ୍ରଦର୍ଶକ ।।
ଜୀବନ ଯୁଦ୍ଧେ ତମ ଶାଶ୍ବତ ସ୍ପର୍ଶେ
ବାଜିଉଠୁ ପାଞ୍ଚଜନ୍ୟ
ମହାଆନ୍ଧକାର ମହାପ୍ରଳୟରେ
ତମେ ତ ଦେଦୀପ୍ୟମାନ ।।
ଶରତ କୁମାର ଦାସ