।। ତୁମ ବନ୍ଦନା ଗାଏଁ ।।
କବି ହେ କବି !
ପୂଜାରି ସାଜି,
ତୁମରି ବନ୍ଦନା
କରେ ମୁଁ ଆଜି ।
ତୁମେ ଏ ମାଟିରେ ଜାଳିଦେଇପାର
କୋଟିଏ ସୂର୍ଯ୍ୟ ଶିଖା,
ଦୁନିଆଁର ଯେତେ ବିଡ଼ମ୍ବନା ସବୁ
ତମରି ଭାଗ୍ୟେ ଲେଖା ।
ତୁମେ ଏ ମାଟିର
ଧୂସର ବୁକୁରେ
ଲେଖନୀମୂନରେ
ଫୁଟାଅ ଯେ କେତେ
ଫୁଲର ଫସଲ
ଦୁଃଖ ଗରଳ ପିଇ
କେହିକି ବୁଝିଚି
କବିଟିର ଦୁଃଖ
କାହିଁକି ଅବାସେ
ବିଶ୍ବ ବୁକୁରେ
ବୁଲୁଚି ନିଃସ୍ବ ହୋଇ ?
ତିଳତିଳ କରି ଜୀବନକୁ ଜାଳି
ଅମା ଅନ୍ଧାର ନାଶି,
ବିଶ୍ବ ଶାନ୍ତିର ସ୍ତୋତ୍ର ପଢ଼ଇ
କବିଟିଏ ଏକିବସି ।
ଅମା ନିଶୀଥର ବିଜନ ପ୍ରାନ୍ତେ
ଜଳାଇ ସ୍ବପ୍ନ ଶିଖା,
କବିଟିଏ ଏକା ବନି ଯାଇଥାଏ
ନିର୍ଜନତାର ସଖା ।
ସବୁରି ଆଖିରେ ହୋଇପାରେ ସିଏ
ରକ୍ତ ମାଂସର ଶରୀରଟିଏ,
କଳ୍ପନା ତାର ସୁଦୂର ପ୍ରସାରୀ
ଆକାଶ ପାତାଳ
ଅଚିରେ ଛୁଏଁ।
ମହାଚେତନାର
ବାହକ ସିଏ,
ତାପରି କିଏସେ ସୃଜନଶୀଳର
ସ୍ବପ୍ନ ଦେଖଇ
ଆପଣା ଛାଏଁ।
କୈଳାସ ଚନ୍ଦ୍ର ପାଢୀ଼।କୁମାରପୁର।