ରାଜନୀତିରେ ‘ଭାରତୀୟ ଋଷି ପରମ୍ପରା’ର ବାହକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ
କଣ ରାଜନୀତିର ଉଦ୍ଦେଶ୍ୟ କେବଳ କ୍ଷମତାପ୍ରାପ୍ତି ? ରାଜନୀତି କଣ ଏକ ବ୍ୟବସାୟ ? ରାଜନୀତି କଣ ଧନବଳ ଓ ବାହୁବଳ ବିନା ସମ୍ଭବ ନୁହେଁ ? ସ୍ୱାଧୀନ ଭାରତର ରାଜନୀତିରେ ଏହା କିଛି କଟୁ ବରଂ ଯଥାର୍ଥ ପ୍ରଶ୍ନ ଅଟେ ।
ଭାରତ ସ୍ୱାଧୀନ ହେବା ପରେ ଭାରତର ରାଜନୀତିରେ ଏଭଳି ଦୃଶ୍ୟ ଦେଖା ଦେଇଛି ଯେ ସମସ୍ତ ମାନି ନେଲେଣି ଯେ ରାଜନୀତିରେ ନୈତିକତା ଓ ଅନୈତିକତା ମଧ୍ୟରେ କୌଣସି ପ୍ରାଚୀର ନାହିଁ । ରାଜନୀତିର ଏକମାତ୍ର ଉଦ୍ଦେଶ୍ୟ କ୍ଷମତା ହାସଲ କରିବା ଓ ଏଇଥି ପାଇଁ କିଛି ବି କରା ଯାଇ ପାରେ । ପ୍ରଥମେ କ୍ଷମତାସୀନ କଂଗ୍ରେସ ଦଳ ଏହି ସିଦ୍ଧାନ୍ତକୁ ନେଇ ଆଗକୁ ବଢିଲା ଓ ଏହି ଚରିତ୍ର ଆଧାରରେ କଂଗ୍ରେସ ଦୀର୍ଘ ସମୟ ଧରି ଦେଶରେ ଶାସନ କଲା । ଏହାର ଫଳସ୍ୱରୂପ ଏହାକୁ ଭାରତର ରାଜନୈତିକ ଚରିତ୍ର ବୋଲି ଧରି ନିଆ ଗଲା ।
ଭାରତର ରାଜନୀତିର ପ୍ରଥମ ନିର୍ବାଚନ ବେଳେ ହିଁ ଏକ ଏପରି ଦଳ ଓ ବିଚାରଧାରାର ଆବିର୍ଭାବ ହୋଇ ସାରିଥିଲା ଯିଏ ରାଜନୀତିକୁ କ୍ଷମତା ପ୍ରାପ୍ତିର ମାଧ୍ୟମ ବା ବ୍ୟବସାୟ ବୋଲି ମାନୁ ନ ଥିଲା, ଏହାକୁ ସାଧନା ବୋଲି ମାନୁଥିଲା । ଏହି ରାଜନୀତିର ପୁରୋଧା ଥିଲେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ।
ତାଙ୍କର ସ୍ପଷ୍ଟ ମତ ଥିଲା ଯେ ଭାରତ ଏକ ଆଧ୍ୟାତ୍ମିକ ରାଷ୍ଟ୍ର ଓ ଏଠାରେ ରାଜନୀତିର ଅନ୍ତିମ ଉଦ୍ଦେଶ୍ୟ ଭୌତିକ ଅଭ୍ୟୁଦୟ ସହିତ ଆଧ୍ୟାତ୍ମିକ ଅଭ୍ୟୁଦୟ ମଧ୍ୟ । ସମଗ୍ରର ଉତଥାନ ହିଁ ରାଷ୍ଟ୍ରର ଉତଥାନ ତେଣୁ ଦରିଦ୍ର ନାରାୟଣଙ୍କ ସେବାକୁ ହିଁ ସେ ନିଜର ଉପାସନା ବୋଲି ମନେ କରିଥିଲେ । ନିର୍ବାଚନକୁ କ୍ଷମତା ପ୍ରାପ୍ତିର ସୁଯୋଗ ମନେ ନ କରି ସେ ଲୋକ ମତ ପରିଷ୍କାରର ସୁଯୋଗ ବୋଲି ସେ ମନେ କରୁଥିଲେ । ଭାରତରେ ଏପରି ଲୋକମତ ନିର୍ମାଣ ହେବା ଆବଶ୍ୟକ ଯାହା ରାଷ୍ଟ୍ରୀୟ ହିତ ଆଧାରରେ ମତଦାନ କରିବାରେ ସ କ୍ଷମ ହେବ ବୋଲି ସେ ମନେ କରୁଥିଲେ । ଦୁର୍ନୀତିଗ୍ରସ୍ତ ଲୋକମତ ଦ୍ୱାରା ନିର୍ବାଚିତ ପ୍ରତିନିଧି ବା ସରକାରଙ୍କ ଠାରୁ ଆପଣ ସାଧୁତାର ଆଶା କରି ପାରିବେ ନାହିଁ ବୋଲି ସେ କହୁଥିଲେ ।
ଦୀନଦୟାଲ ଉପାଧ୍ୟାୟଙ୍କର ରାଜନୈତିକ ଚିନ୍ତନ କାରଣରୁ କେବଳ ତକ୍ରାଳୀନ କ୍ଷମତାଶାଳୀ ଲୋକ ମାନେ ନୁହନ୍ତି ବରଂ ସମଗ୍ର ବିଶ୍ୱକୁ ଗୋଟିଏ ପତାକା ତଳେ ଆଣିବାକୁ ଚେଷ୍ଟା କରୁଥିବା ସାମ୍ୟବାଦୀ ଓ ପୁଂଜିବାଦୀ ଶକ୍ତି ମାନେ ବିଚଳିତ ହୋଇ ପଡିଥିଲେ । ଏକ ଭୟଙ୍କର ଦୁଷ୍ଟକ୍ର ଦ୍ୱାରା ଭାରତୀୟ ରାଜନୀତିର ଏହି ଅଜାତ ଶତ୍ରୁଙ୍କୁ ୧୯୬୮ ମସିହା ଫେବୃଆରୀ ମାସ ୧୧ ତାରିଖ ଦିନ ବର୍ବରତା ସହ ଭାରତମାତାଙ୍କ ଠାରୁ ଛଡାଇ ନିଆ ଯାଇଥିଲା । ଆଜି ମଧ୍ୟ ଭାରତୀୟ ରାଜନୀତିରେ ଉକ୍ତ ଆଦର୍ଶର ଶିଳ୍ପୀର ସ୍ୱପ୍ନ ଅଧୁରା ହୋଇ ରହିଛି ।
ସମନ୍ବୟ ନନ୍ଦ